ହାଥରସ କାଣ୍ଡରେ ଆସିଲା ନୂଆ ମୋଡ଼, ମୃତକାଙ୍କ ଭାଇ ଏବଂ ଆରୋପୀ ମାନଙ୍କ ମଧ୍ୟରେ ୧୦୪ ଥର ହୋଇଥିଲା ଫୋନରେ କଥାବାର୍ତ୍ତା !

ହାଥରସ ଘଟଣାରେ ଏସଆଇଟି ନିଜସ୍ୱ ଅନୁସନ୍ଧାନ କରୁଛି ଏବଂ ଗତକାଲି ଏସଆଇଟି ଟିମ୍ ଗାଁକୁ ଯାଇ ମୃତକାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲା । ସୂଚନାନୁସାରେ, ଏସଆଇଟି ଟିମ୍ ଅଭିଯୁକ୍ତ ତଥା ମୃତକାଙ୍କ ପରିବାରର କଲ୍ ଡିଟେଲ ମଧ୍ୟ ବାହାର କରିଛି । ଯେଉଁଥିରୁ ଜଣାପଡିଛି ଯେ ମୃତକାଙ୍କ ଭାଇ ଏବଂ ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସିଂହ ପରସ୍ପର ସହ ଫୋନରେ କଥାବାର୍ତ୍ତା ହୋଇଥିଲେ । ୧୩ ଅକ୍ଟୋବର ୨୦୧୯ ଠାରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଏହି ଦୁଇଟି ନମ୍ବରରେ ମୋଟ ୧୦୪ରୁ ଅଧିକ ଥର କଲ୍ ହୋଇଥିଲା । ମୋଟ କଲର ଅବଧି ପାଞ୍ଚ ଘଣ୍ଟାରୁ ଅଧିକ ଅଟେ । ଅର୍ଥାତ ଏହି ଦୁଇଜଣ ପରସ୍ପର ସହିତ ଯୋଗାଯୋଗରେ ଥିଲେ ଏବଂ ପରସ୍ପରକୁ ଭଲ ଭାବରେ ଜାଣିଥିଲେ ।

କଲ୍ ଡିଟେଲ ଅନୁଯାୟୀ, ମୃତକାଙ୍କ ଭାଇ ୬୨ ଥର ଅଭିଯୁକ୍ତ ସନ୍ଦୀପ ସିଂହଙ୍କ ନମ୍ବରକୁ ଫୋନ କରିଥିଲେ ଏବଂ ମହିଳାଙ୍କ ଭାଇଙ୍କ ଫୋନକୁ ସନ୍ଦୀପଙ୍କ ନମ୍ବରରୁ ୪୨ ଥର ଫୋନ ଆସିଥିଲା । ଅଧିକାଂଶ ଫୋନ ଅନୁଯାୟୀ ଉଭୟ ନମ୍ବରର ଲୋକେସନ ଚନ୍ଦପା ପୋଲିସ୍ ଷ୍ଟେସନ ଅଞ୍ଚଳର ଅଟେ । ଏହି କଲ୍ ଡିଟେଲ ପାଇବା ପରେ ପୋଲିସ୍ ସନ୍ଦୀପଙ୍କୁ ଏହି ବିଷୟରେ ପଚରାଉଚରା କରୁଛି ଏବଂ ସେମାନଙ୍କ ମଧ୍ୟରେ କଣ କଥାବାର୍ତ୍ତା ହେଉଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି ।

ଅନ୍ୟ ଅଭିଯୁକ୍ତଙ୍କର ମଧ୍ୟ କଲ୍ ଡିଟେଲ ବାହାର କରାଯାଇଛି:-

ଏହି ମାମଲାରେ ସନ୍ଦୀପଙ୍କ ସମେତ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ପୋଲିସ୍ ଏହି ସମସ୍ତଙ୍କର କଲ୍ ଡିଟେଲ ବାହାର କରିଛି । କେବଳ ଏତିକି ନୁହେଁ ପୀଡିତାଙ୍କ ପରିବାରର ଲୋକଙ୍କ ସିଡିଆର ମଧ୍ୟ ପୋଲିସ୍ ବାହାର କରିଛି । କଲ୍ ଡିଟେଲ ସହାୟତାରେ ପୋଲିସ୍ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ଘଟଣା ଘଟିଥିବା ଦିନ ଅଭିଯୁକ୍ତ ଏବଂ ପୀଡିତାଙ୍କ ପରିବାରର ଲୋକେସନ କଣ ଥିଲା ।

ବାସ୍ତବରେ ଏହି ମାମଲାରେ ଅନେକ ଭିନ୍ନ ଭିନ୍ନ ପ୍ରସଙ୍ଗ ସାମ୍ନାକୁ ଆସୁଛି । ପୀଡିତାଙ୍କ ପରିବାର ସଦସ୍ୟଙ୍କର କହିବା ଅନୁଯାୟୀ ଯେତେବେଳେ ସେମାନଙ୍କ ଝିଅକୁ ବଳାତ୍କାର କରାଯାଇଥିଲା, ସେତେବେଳେ ସେମାନେ ଚାଷ ଜମିରେ ନ ଥିଲେ । ଯେତେବେଳେ କି ଅଭିଯୁକ୍ତମାନେ ବଳାତ୍କାରକୁ ଅସ୍ୱୀକାର କରୁଛନ୍ତି । ଏଭଳି ପରିସ୍ଥିତିରେ ପୋଲିସ୍ କଲ୍ ଡିଟେଲ ମାଧ୍ୟମରେ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ଘଟଣା ଘଟିଥିବା ଦିନ ଚାଷ ଜମିରେ କେଉଁ କେଉଁ ଲୋକମାନେ ଉପସ୍ଥିତ ଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ହାଥରସରେ ଜଣେ ୧୯ ବର୍ଷର ଯୁବତୀଙ୍କର ଗଣଦୁଷ୍କର୍ମ ହୋଇଥିଲା । ପୀଡିତାଙ୍କ ପରିବାର ଅନୁଯାୟୀ, ସେପ୍ଟେମ୍ବର ୧୪ ତାରିଖରେ ପୀଡିତା ଜଣକ ନିଜ ମାଆଙ୍କ ସହ ଚାଷ ଜମିରେ କାମ କରୁଥିଲେ । ଏହି ସମୟ ମଧ୍ୟରେ ଚାରିଜଣ ପୁଅ ଯୁବତୀଙ୍କୁ ମାଡ ମାରିବା ସହିତ ବଳାତ୍କାର କରିଥିଲେ । ଏହି ଦୁର୍ଘଟଣାରେ ଯୁବତୀ ଗୁରୁତର ଆହତ ହୋଇ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି । ପୀଡିତାଙ୍କ ପରିବାର ଏହାକୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ବୋଲି କହୁଛନ୍ତି । ଅଭିଯୁକ୍ତମାନେ କହିଛନ୍ତି ଯେ ସେମାନେ ମହିଳାଙ୍କୁ ବଳାତ୍କାର କରିନାହାଁନ୍ତି । ଏଥିସହ ଏହି ଯୁବତୀଙ୍କ ତଦନ୍ତ ରିପୋର୍ଟରେ ମଧ୍ୟ ବଳାତ୍କାର କଥା ସାମ୍ନାକୁ ଆସିନାହିଁ ।

ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି:-

ଉତ୍ତରପ୍ରଦେଶ ପୋଲିସକୁ ଏହାର ସମାଧାନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡୁଛି ଏବଂ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଏହାର ସିବିଆଇ ଯାଞ୍ଚପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ପାଇବା ମାତ୍ରେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଦେବ ।

Be the first to comment

Leave a Reply

Your email address will not be published.


*