୧୫ ଅକ୍ଟୋବରରୁ ଖୋଲିବ ଦେଶର ସମସ୍ତ ସିନେମା ହଲ୍ । କିନ୍ତୁ ଫିଲ୍ମ ଦେଖିବାପାଇଁ ମାନିବାକୁ ହେବ ଏହି ନିୟମ !

ଅକ୍ଟୋବର ୧୫ ତାରିଖରୁ ମଲ୍ଟିପ୍ଲେକ୍ସ ଅର୍ଥାତ ସିନେମା ଘର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ଏବଂ ଏହା ସହିତ ଏହାକୁ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଦେଇଛନ୍ତି । ସିନେମା ଘର ଗୁଡିକୁ କେବଳ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଖୋଲିବାକୁ ଅନୁମତି ଦିଆଯିବ । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରୁ ୫୦ ପ୍ରତିଶତ କ୍ଷମତା ସହିତ ସିନେମା ଘର ଗୁଡିକୁ ଖୋଲା ଯାଇପାରିବ । ସରକାର ମଙ୍ଗଳବାର ଦିନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି) ଜାରି କରିଛନ୍ତି ଏବଂ ସିନେମା ଘର ଖୋଲିବାର ନିୟମ ବିଷୟରେ କହିଛନ୍ତି ।

ପ୍ରବେଶ କରିବା ପୂର୍ବରୁ ହେବ ଥର୍ମାଲ ସ୍କ୍ରିନିଂ:-

ସିଙ୍ଗଲ ସ୍କ୍ରିନ୍ ସିନେମା ହଲରେ ଟିକେଟ୍ ବୁକିଂ ପାଇଁ ଅଧିକ ଝରକା ଖୋଲିବାକୁ ପଡିବ । ସିନେମା ଘରକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । କଣ୍ଟାକ୍ଟ ଟ୍ରେସିଂ ପାଇଁ ଯୋଗାଯୋଗ ନମ୍ବର ଦେବାକୁ ପଡିବ । ମାସ୍କ ବିନା କୌଣସି ପ୍ରବେଶ ହେବ ନାହିଁ । ଲକ୍ଷଣହୀନ ଲୋକଙ୍କୁ କେବଳ ପ୍ରବେଶ ଦିଆଯିବ । ଯେଉଁମାନେ କରୋନା ନିର୍ଦ୍ଦେଶାବଳୀକୁ ପାଳନ କରିବେନାହିଁ ସେମାନଙ୍କୁ ପ୍ରବେଶ ଦିଆଯିବ ନାହିଁ ।

ସିନେମା ହଲରେ ୫୦ ପ୍ରତିଶତରୁ ଅଧିକ ଆକ୍ୟୁପେସି ରହିବ ନାହିଁ । ଗୋଟିଏ ସିଟ୍ ଛାଡି ବୁକିଂ କରାଯିବ । ଅର୍ଥାତ ଦୁଇ ଜଣଙ୍କ ମଧ୍ୟରେ ଗୋଟିଏ ସିଟ୍ ଛାଡିବାକୁ ହେବ ଏବଂ ଛଡା ଯାଇଥିବା ସିଟରେ ନଟ୍ ଟୁ ବି ଆକ୍ୟୁପାଇଡ଼ ଲେଖାଯିବ । ଏହିପରି ସିଟ୍ ଗୁଡିକରେ ଟ୍ୟାପ୍ କିମ୍ବା ମାର୍କର ଲଗାଇବାକୁ ପଡିବ । କେବଳ ଏତିକି ନୁହେଁ, ଜଣେ ବ୍ୟକ୍ତିଙ୍କ ପଛରେ ଆଉ ଜଣେ ବସିପାରିବେ ନାହିଁ । କେବଳ ଖାଲି ସିଟ୍ ପଛରେ ଥିବା ସିଟ୍ ବୁକିଂ ହେବ ।

ପ୍ୟାକ୍ ହୋଇଥିବା ଖାଦ୍ୟ ବିକ୍ରି ହେବ:-

ସିନେମା ହଲରେ ପ୍ୟାକ୍ ହୋଇଥିବା ଖାଦ୍ୟ ଅନୁମତି ଦିଆଯିବ ଏବଂ ଅଧିକ କାଉଣ୍ଟର ନିର୍ମାଣ କରିବାକୁ ପଡିବ । ଯାହାଦ୍ୱାରା ସାମାଜିକ ଦୂରତାର ଧ୍ୟାନ ନିଆଯାଇପାରିବ । ଏଗୁଡିକ କେବଳ ଅନଲାଇନ ପେମେଣ୍ଟ ମାଧ୍ୟମରେ ବିକ୍ରି କରାଯିବ । ହଲ୍ ଭିତରେ ଖାଦ୍ୟ ଏବଂ ପାନୀୟ ବିତରଣ କରାଯିବ ନାହିଁ ଏବଂ ବ୍ୟବଧାନ ସମୟ ବୃଦ୍ଧି କରାଯିବା ଉଚିତ । ଯାହାଦ୍ୱାରା ଲୋକମାନେ ନିଜେ ନିଜେ ଆସି ସାମଗ୍ରୀ ନେଇପାରିବେ ।

ସମଗ୍ର ହଲ୍ ସାନିଟାଇଜ୍ କରାଯିବ:-

ଦୁଇଟି ଶୋ ମଧ୍ୟରେ ସମୟ ଅଧିକ ରଖାଯିବ ଏବଂ ଶୋ ଶେଷ ହେବା ପରେ ହଲକୁ ମଧ୍ୟ ସାନିଟାଇଜ୍ କରାଯିବ । ଶୋ ସରିବା ପରେ ଲୋକଙ୍କୁ ଧାଡି ଅନୁଯାୟୀ ନିଜ ଆସନରୁ ବାହାର କରାଯିବ , ଯାହା ଦ୍ୱାରା ଦୂରତା ପାଳନ କରାଯାଇପାରିବ ।

ସଚେତନତା ଭିଡିଓ ପ୍ରଦର୍ଶିତ କରାଯିବ:-

ଶୋ ପୂର୍ବରୁ ଏବଂ ପରେ ବ୍ୟବଧାନରେ କରୋନା ସଚେତନତାର ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ କରାଯିବ । ଏହି ଭିଡିଓ ୧ ମିନିଟର ହେବ । ହଲ୍ ବାହାରେ ୬ ଫୁଟ ଦୂରତା ପାଇଁ ମାର୍କର ମଧ୍ୟ ଲଗାଇବାକୁ ପଡିବ ଏବଂ ଏସି ୨୪ ରୁ ୩୦ ଡିଗ୍ରୀରେ ରଖାଯିବ ।

ନିୟମ ଅନୁଯାୟୀ, ଅନଲାଇନ ଟିକେଟ୍ ବୁକିଂକୁ ପ୍ରୋତ୍ସାହନ ଦିଆଯିବା ଉଚିତ ଏବଂ ଦିନସାରା ଟିକେଟ୍ ବୁକିଂ କରାଯିବା ଉଚିତ । ଆଡଭାନ୍ସ ବୁକିଂ ସୁବିଧା ଏବଂ ଆରୋଗ୍ୟ ସେତୁ ଆପର ବ୍ୟବହାର ବିଷୟରେ ଦର୍ଶକଙ୍କୁ ପରାମର୍ଶ ଦିଆଯିବା ଉଚିତ । ଉଲ୍ଲେଖନୀୟ କଥା ହେଉଛି, କରୋନା ଭୁତାଣୁ ଯୋଗୁଁ ସିନେମା ଘର ୭ ମାସ ଧରି ବନ୍ଦ ରହିଛି । ଏଥି ସହିତ ବର୍ତ୍ତମାନ ସିନେମା ଘର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।

Be the first to comment

Leave a Reply

Your email address will not be published.


*