୧୦ ବର୍ଷ ପ୍ରତୀକ୍ଷାର ଅନ୍ତଃ: ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ଅଟଳ ଟନେଲ୍ ଲୋକାର୍ପିତ ।

ନୂଆଦିଲ୍ଲୀ,୩/୧୦: ହିମାଚଳ ପ୍ରଦେଶର ଲାହୌଲ ଉପତ୍ୟକାର ବାସିନ୍ଦାଙ୍କ ପାଇଁ ଶନିବାର ଏକ ସ୍ମରଣୀୟ ଦିନ । ସେଠାରେ ପାର୍ବତ୍ୟ ଅଞ୍ଚଳରେ ଗମନାଗମନ ଦୃଷ୍ଟିରୁ ଗୁରୁତ୍ୱ ବହୁ ବହନ କରୁଥିବା ବହୁ ପ୍ରତିକ୍ଷୀତ ଅଟଳ ଟନେଲ୍ ଲୋକାର୍ପିତ ହୋଇଯାଇଛି। ହିମାଚଳ ପ୍ରଦେଶ ରୋହତାଙ୍ଗରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସିଡିଏସ ବିପିନ ରାଓ୍ୱତ୍, ସ୍ଥଳସେନା ମୁଖ୍ୟ ଏମ୍ଏମ୍ ନରୱଣେ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଅତ୍ୟାଧୁନିକ ଜ୍ଞାନକୌଶଳରେ ୨୦୧୦ ଜୁନ୍ ୨୮ରୁ ନିର୍ମାଣ ଆରମ୍ଭ ହୋଇଥିବା ଏହି ୯.୦୨ କିମି ଲମ୍ବ ବିଶିଷ୍ଟ ଅଟଳ ଟନେଲ୍ ହେଉଛି ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ଟନେଲ୍। ଏହା ୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୧୦,୦୦୦ ଫୁଟ ଉଚ୍ଚରେ ଅବସ୍ଥିତ। ଟନେଲ୍ ନିର୍ମାଣ ଦ୍ୱାରା ମନାଲିରୁ ଲେହକୁ ଦୂରତା ୪୬ କିମି କମିଯାଇଛି। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ମନାଲି-ଲେହ ମାର୍ଗରେ ସାମରିକ ମହତ୍ବ ରଖିଥିବା ୯.୦୨ କିଲୋମିଟର ଲମ୍ବା ବିଶ୍ବର ସବୁଠୁ ବଡ ସୁଙ୍ଗଡ ‘ଅଟଳ ଟନେଲ୍’କୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ  କରିଛନ୍ତି।

ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ନର୍ଥ ପୋର୍ଟାଲରେ ନିଗମ ବସକୁ ସବୁଜ ପତାକା ଦେଖାଇ ୧୫ ଜଣ ବରିଷ୍ଠ ନାଗରିକଙ୍କୁ ସାଉଥ୍ ପୋର୍ଟାଲ ଅଭିମୁଖେ ଯାତ୍ରା କରାଇଥିଲେ। ଏହି ଟନେଲ୍ ନିର୍ମାଣ ଯୋଗୁ ତୁଷାରପାତ ସମୟରେ ୬ ମାସ ବନ୍ଦ ରହୁଥିବା ମନାଲିରୁ ଲେହକୁ ଯାତ୍ରା ଉପରୁ ଏଣିକି ପ୍ରତିବନ୍ଧକ ଟଳିଛି। ଏଥିସହ ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନଧାରଣ ମାନ ଉନ୍ନତ ହେବା ନେଇ ମଧ୍ୟ ଆଶା ପ୍ରକାଶ ପାଇଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ପୀରପଞ୍ଜଲର ପହାଡକୁ ଭେଦ କରି ୩୨୦୦ କୋଟି ଅର୍ଥ ବିନିମୟରେ ନିର୍ମିତ ଏହି ଟନେଲରେ ବିଶ୍ବର ସବୁଠାରୁ ଉଚ୍ଚତମ ହାଇଓ୍ବେ ତିଆରି କରାଯାଇଛି। ଟନେଲ ଆରମ୍ଭରୁ ସେନା ଏହି ମାର୍ଗରୁ ଚାଇନାକୁ ଲାଗି ରହିଥିବା ସୀମା ଲଦାଖ ଓ ପାକିସ୍ତାନକୁ ଲାଗି ରହିଥିବା କାର୍ଗିଲ ପର୍ଯ୍ୟନ୍ତ ସହଜରେ ପହଞ୍ଚି ପାରିବ।

ସୂଚନାଯୋଗ୍ୟ, ମନାଲିଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ‘ଅଟଳ ଟନେଲ୍’ର ଆକୃତି ଘୋଡ଼ାର ପାଦ ପରି। ଏହାର ଦକ୍ଷିଣ ସୀମା ସମୁଦ୍ର ପତ୍ତନଠାରୁ ୩୦୬୦ମିଟର ଉଚ୍ଚରେ ଥିବା ବେଳେ ଲାହୌଲ ଉପତ୍ୟକାର ତାଲିଙ୍ଗ ଏବଂ ସିସୁ ଗ୍ରାମ ନିକଟରେ ଥିବା ଉତ୍ତର ସୀମା ସମୁଦ୍ର ପତ୍ତନଠାରୁ ୩୦୭୧ମିଟର ଉଚ୍ଚରେ ଅବସ୍ଥିତ। ୧୦.୫ ମିଟର ଚଉଡା ବିଶିଷ୍ଟ ଏହି ଟନେଲରେ ୩.୬x୨.୨୫ ମିଟର ପରିମିତ ଅଞ୍ଚଳରେ ଅଗ୍ନିରୋଧୀ ଜରୁରିକାଳୀନ ପ୍ରସ୍ଥାନ ପଥ ନିର୍ମାଣ କରାଯାଇଛି। ‘ଅଟଳ ଟନେଲ୍’ରେ ଦିନକୁ ୩୦୦୦କାର୍ ଏବଂ ୧୫୦୦ ଟ୍ରକ୍ ୮୦ କିଲୋମିଟର ବେଗରେ ଚଳାଚଳ କରିପାରିବ। ‘ଅଟଳ ଟନେଲ’ରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ୧୫୦ମିଟର ଦୂରତାରେ ଟେଲିଫୋନର ବ୍ୟବସ୍ଥା ରଖାଯାଇଛି। ଏହା ଦ୍ବାରା ଜରୁରୀ ପରିସ୍ଥିତିରେ ସମ୍ପର୍କ ସ୍ଥାପନ ହୋଇପାରିବ। ପ୍ରତି ୬୦ମିଟରରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇଛି। ୨୫୦ମିଟର ଦୂରତାରେ ସିସିଟିଭି ସୁବିଧା ଉପଲବ୍ଧ ରହିଛି। ବାୟୁ ଗୁଣବତ୍ତା ଯାଞ୍ଚ କରିବା ପାଇଁ ପ୍ରତି ୧ କିଲୋମିଟର ବ୍ୟବଧାନରେ ମେସିନ୍ ଲଗାଯାଇଛି। ପୂର୍ବରୁ ଏହାର ନାମ ରୋହତଙ୍ଗ ଟନେଲ ରଖାଯାଇଥିଲା। ଡିସେମ୍ବର ୨୪, ୨୦୧୯ରେ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ବାର୍ଷିକୀରେ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନିତ କରିବା ପାଇଁ ଏହାର ନାମ ‘ଅଟଳ ଟନେଲ’ ଭାବେ ନାମିତ କରିଥିଲେ।

Be the first to comment

Leave a Reply

Your email address will not be published.


*