ବଲିଉଡରେ ଡ୍ରଗ୍ସ ଲିଙ୍କ : ସାମ୍ନାକୁ ଆସିଲା ୩ ‘ଏ’ଗ୍ରେଡ କଳାକାରଙ୍କ ନାମ ! ‘ଏସ’, ‘ଆର’ ଏବଂ ‘ଏ’ରୁ ଆରମ୍ଭ…

ମୁମ୍ବାଇ,୩୦/୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଜଣାପଡ଼ିବା ପରେ ବଲିଉଡ ଆକାଶରେ କଳା ବାଦଲର ଛାୟା ଚତୁଃଦିଗରେ ଘେରିଯାଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡରେ ଡ୍ରଗ୍ସ ଲିଙ୍କକୁ ନେଇ ଏବେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ପୂର୍ବରୁ ଅନେକ ବଡ଼ ବଲିଉଡ କଳାକାରଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ଏବେ ଆଉ ୩ଜଣ ‘ଏ’ ଗ୍ରେଡ କଳାକାରଙ୍କ ନାମ ସାମ୍ନାକୁ ଆସିଛି । ସେମାନଙ୍କ ନାମ ‘ଏସ’, ‘ଆର’ ଏବଂ ‘ଏ’ରୁ ଆରମ୍ଭ ହେଉଥିବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସୂଚନା ମୁତାବକ, ମାୟା ନଗରୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଡ୍ରଗ୍ ବ୍ୟବସାୟୀଙ୍କୁ ଗିରଫ କରିଛି ଏନସିବି । ଏଥିସହ ବଲିଉଡର ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆଣିବା ପାଇଁ ଚେଷ୍ଟା ଚଳାଉଥିବାବେଳେ ଦିନକୁ ଦିନ ବଡ଼ ବଡ଼ ନାଁ ଆଗକୁ ଆସୁଛି । ଏହି କ୍ରମରେ ବଲିଉଡର ୨ ଜଣ ସୁପରଷ୍ଟାରଙ୍କ ସମେତ ମୋଟ ତିନିଜଣ ‘ଏ’ ଗ୍ରେଡ ଅଭିନେତା ଏଜେନ୍ସିର ରାଡାରରେ ଅଛନ୍ତି । ଏହି ତିନିଜଣଙ୍କ ମଧ୍ୟରୁ ଦୁଇଜଣ ବଲିଉଡର ହୋଇଥିବାବେଳେ ତୃତୀୟ ଅଭିନେତା ଅନ୍ୟ ଇଣ୍ଡଷ୍ଟ୍ରିରୁ ବୋଲି ସୂଚନା ମିଳିଛି । ଏନସିବି ଏହି କଳାକାରମାନଙ୍କ ବିଷୟରେ ଇନପୁଟ୍ ଗ୍ରହଣ କରିଛି ।

ଏହି ତିନି କଳାକାରଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ତାଙ୍କ ନାମର ପ୍ରଥମ ଅକ୍ଷରଗୁଡ଼ିକ ସାମ୍ନାକୁ ଆସିଛି । ଏହି କଳାକାରମାନଙ୍କ ନାମ ‘ଏସ’, ‘ଆର’ ଏବଂ ‘ଏ’ରୁ ଆରମ୍ଭ ହେଉଥିବା ଖବର ମିଳିଛି । ଏବେ ସମସ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ପ୍ରମାଣ ମିଳିବା ମାତ୍ରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନସିବି କହିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଏନସିବି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ, ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ଲିଙ୍କ୍ ନେଇ ଜେରା କରି ସାରିଛି । ରିୟାଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପଚରାଉଚରା ଜାରି ରହିଛି । ଏଥିସହ ଏନସିବି ଦୀପିକା-ସାରା-ଶ୍ରଦ୍ଧାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି । ଉକ୍ତ ଫୋନରୁ ଡିଲିଟ ହୋଇଥିବା ତଥ୍ୟ ପୁନରୁଦ୍ଧାର ପାଇଁ ପ୍ରୟାସ କରାଯାଉଛି ।

ସୁଶାନ୍ତ ମଧ୍ୟ ନେଉଥିଲେ ଡ୍ରଗ୍ସ :

୨୬ ସେପ୍ଟେମ୍ବର ଶନିବାର ଦିନ ଏନସିବି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା । ଏହି ପଚରାଉଚରା ସମୟ ମଧ୍ୟରେ ସମସ୍ତ ଅଭିନେତ୍ରୀ ଡ୍ରଗ୍ସ ନେଉଥିବା କଥାକୁ ଅସ୍ଵୀକାର କରିଥିଲେ । ଦୀପିକା ଏନସିବିକୁ କହିଛନ୍ତି ଯେ, ସେ ତାଙ୍କ ଚାଟରେ ସିଗାରେଟ ବିଷୟରେ ପଚାରୁଥିଲେ । ସେ ସିଗାରେଟକୁ କୋଡ୍ ୱାର୍ଡରେ ‘ସାମଗ୍ରୀ’ ବୋଲି କହିନ୍ତି । ଏହା ବ୍ୟତୀତ ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁର ସେମାନଙ୍କ ଅନୁସନ୍ଧାନରେ ସ୍ୱୀକାର କରିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ସେବନ କରୁଥିଲେ ।

ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରାଯାଇଛି :

ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାରର ଭିତ୍ତି କରି ବର୍ତ୍ତମାନ ସୁଦ୍ଧା ଏନସିବି ୧୮ ଜଣକୁ ଗିରଫ କରିଛି । ସଦ୍ୟତମ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛି କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସର କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତିଜ ରବି ପ୍ରସାଦ ।

Be the first to comment

Leave a Reply

Your email address will not be published.


*