ହଠରାସ୍ ମାମଲା: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କଲା ପୋଲିସ  !

ହଠରାସ୍ ମାମଲା: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କଲା ପୋଲିସ !

ନୂଆଦିଲ୍ଲୀ,୧/୧୦: ହଠରାସ୍ ମାମଲାକୁ ନେଇ କଂଗ୍ରେସର ବିରୋଧ ଜାରି ରହିଛି। ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଗୁରୁବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଯାଉଥିବା​ବେଳେ ଯମୁନା ଏକ୍ସପ୍ରେସ ୱେ’ରେ ସେମାନଙ୍କ ଗାଡ଼ିକୁ ପୋଲିସ ଅଟକାଇଲା। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଗ୍ରେଟର ନୋଏଡା ପୋଲିସ ଅଟକାଇ ଦେବାରୁ ପ୍ରିୟଙ୍କା ଓ ରାହୁଲ ଚାଲି ଚାଲି ପୀଡ଼ିତାଙ୍କ ଘର ଅଭିମୁଖେ ଯାଉଥିଲେ। ଏତିକିବେଳେ ୟୁପି ପୋଲିସ ଓ କଂଗ୍ରେସକର୍ମୀଙ୍କ ମଧ୍ୟରେ ବଚସା ହେବା ସହ ହାତାହାତି ହୋଇଥିଲା। ଠେଲାପେଲା ହେବାବେଳେ ରାହୁଲ ତଳେ ମଧ୍ୟ ପଡ଼ିଯାଇଥିଲେ। ତାଙ୍କ ହାତରେ ଆଘାତ ଲାଗିଥିଲା। ଏହା ମଧ୍ୟରେ ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ ଗିରଫ କରିଛି।

ସେମାନଙ୍କୁ ଅଟକା ଯାଇଥିବା ସ୍ଥାନରୁ ହଠରାସ ୧୪୨ କିମି କିଲୋମିଟର। ସେଠାରେ ଧାରା ୧୪୪ ଲାଗୁ କରାଯାଇଛି। ଏହାର ପ୍ରଭାବ ଅକ୍ଟୋବର ୩୧ ପର୍ଯ୍ୟନ୍ତ ରହିବ। ଏଥିସହ ଜିଲ୍ଲାର ସମସ୍ତ ସୀମାକୁ ମଧ୍ୟ ସିଲ୍ କରିଦିଆଯାଇଛି।

ଅନ୍ୟପକ୍ଷରେ କଂଗ୍ରେସ ନେତାମାନେ ପୋଲିସ ଉପରେ ଆରୋପ ଲଗାଇଛନ୍ତି। ସେ କହିଛନ୍ତି, ପୋଲିସ ତାଙ୍କ ଉପରେ ଲାଠି ଚାର୍ଜ କରିଛି ଏବଂ ତାଙ୍କୁ ପିଟିଛି। ସେମାନେ ପଚାରିଛନ୍ତି, ‘‘ଦେଶରେ କ’ଣ ମୋଦି ଜୀ କେବଳ ଚାଲି ଚାଲି ଯାଇପାରିବେ। ସାଧାରଣ ଜନତା କ’ଣ ପାଇଁ ନୁହେଁ। ଆମ ଗାଡିକୁ ଅଟକାଇ ଦିଆଗଲା। ଏଣୁ ଆ​‌ମେ ଚାଲି ଚାଲି ଯାଉଛୁ।’’

ତେବେ ୟୁପି ସରକାରଙ୍କ ପ୍ରବକ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ କହିଛନ୍ତି, ‘ଏ ଭାଇଭଉଣୀଙ୍କୁ ରାଜସ୍ଥାନ ଯିବାର ଥିଲା। କାରଣ ସେଠାରେ ଏଭଳି ଜଘନ୍ୟ ଅପରାଧ ହୋଇଥାଏ। ମାତ୍ର କଂଗ୍ରେସ ଏହାକୁ ନେଇ ରାଜନୀତି ଚାଳଇଛି।’’

ସୂଚନାଯୋଗ୍ୟ, ହଠରାସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଥିଲା। ଏଥିସହ ଜିଭ କାଟିଦେଇଥିବାରୁ ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *