ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚରେ ହାଜର ହେଲେ ଏକ୍ସ ଗର୍ଲ ଫ୍ରେଣ୍ଡ କୁହାଯାଉଥିବା ଚିନ୍ମୟୀ, ଖୋଲିଲା ଗୁମର….

ବାଲେଶ୍ୱର,୨୭/୯: ଦିବଂଗତ ସମାଜସେବୀ ଆଦିତ୍ୟ ଦାସଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ କୁହାଯାଉଥିବା ଚିନ୍ମୟୀ ଶନିବାର କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି। ତାଙ୍କୁ ଦୀର୍ଘ ଦୁଇ ଘଣ୍ଟା ଜେରା କରାଯାଇଛି। ଚିନ୍ମୟୀଙ୍କୁ କ୍ରାଇମବ୍ରାଞ୍ଚର ତିନି ଜଣ ଅଧିକାରୀ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ଏହି ସମୟରେ ଚିନ୍ମୟୀଙ୍କ ଓକିଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଚିନ୍ମୟୀ ଆଦିତ୍ୟ ଓ ତାଙ୍କ ସମ୍ପର୍କ ବିଷୟରେ ବିଭିନ୍ନ ସୂଚନା ଦେଇଥିବା କଥା କହିଛନ୍ତି।

ଚିନ୍ମୟୀଙ୍କୁ ଫୋନ୍‌ରେ କ୍ରାଇମ୍‌ବ୍ରାଞ୍ଚରୁ ଡାକର ଆସିଥିଲା। କଟକରେ ତାଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କ ଘରଲୋକ ସାଙ୍ଗରେ ଥିଲେ। ଆଦିତ୍ୟ ଓ ତାଙ୍କ ସମ୍ପର୍କ ବିଷୟରେ କିଛିଟା ପ୍ରଶ୍ନ ପଚାରିଥିବା ଘଟଣାକୁ ଚିନ୍ମୟୀ ସ୍ୱୀକାର କରିଛନ୍ତି। ସୂଚନା ଅନୁସାରେ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ଜଣେ ରହସ୍ୟମୟୀ ସାଇକୋ ଲେଡିର ହାତ ଥିବା ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ, ବାଲେଶ୍ୱର ଅଞ୍ଚଳର ସମାଜସେବୀ ବିସ୍ମିତ୍‌ ଦାଶ ନିକଟରେ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ପରେ ଏହି ରହସ୍ୟମୟୀ ଯୁବତୀଙ୍କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ତାଙ୍କ ନାଁ’ରେ ବିଭିନ୍ନ ଅପପ୍ରଚାର ସହ ସାଇକୋ ଲେଡିର ଆଖ୍ୟା ଦିଆଯାଇଥିଲା। ଏହି ଯୁବତୀ ଜଣକ ଖଇରା ଅଞ୍ଚଳର ବୋଲି ଜଣାପଡ଼ିବା ପରେ ଚିନ୍ମୟୀ ମହାପାତ୍ର ଚର୍ଚ୍ଚାକୁ ଆସିଥିଲେ। ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ସହ ଏପରିି ମିଥ୍ୟା ଅଭିଯୋଗ ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ଚିନ୍ମୟୀ ଖଇରା ଥାନାରେ ଏତଲା ଦେଇଥିଲେ। ଅଭିଯୋଗପତ୍ରରେ ସେ ବିସ୍ମିତ ଓ ବିଦ୍ୟାଶ୍ରୀଙ୍କ ନାମ ଉଲ୍ଲେଖ କରିଥିଲେ। ଅଭିଯୋଗ ଅନୁଯାୟୀ, ଆଦିତ୍ୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବିସ୍ମିତ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ଆଦିତ୍ୟଙ୍କ ମୃତ୍ୟୁ ପରେ କ୍ରାଇମବ୍ରାଞ୍ଚର ପରିଚୟ ଦେଇ ବିସ୍ମିତ ତାଙ୍କ ସହ ରାତିରେ ଫୋନ୍‌ରେ କଥାବାର୍ତ୍ତା କରୁଥିଲେ। ତାଙ୍କ ପ୍ରତି ଆକର୍ଷିତ କରିବା ପାଇଁ ସେ ହ୍ଵାଟ୍ସଆପରେ ବିଭିନ୍ନ ମେସେଜ ପଠାଉଥିଲେ। କେବଳ ଏତିକି, ନୁହେଁ ମଧ୍ୟରାତ୍ରରେ ଭିଡିଓ କଲ୍‌ କରି ତାଙ୍କ ସଙ୍ଗଠନ “ଆଚ୍ଛା’ରେ ଯୋଗ ଦେବାକୁ କହିଥିଲେ। ଦିନକୁ ଦିନ ବିସ୍ମିତ୍‌ଙ୍କ ଏଭଳି ବ୍ୟବହାର ଅସହ୍ୟ ହେବାରୁ ଚିନ୍ମୟୀ ତାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ବିସ୍ମିତ୍‌ ସାଇକୋ ଲେଡି ସଜାଇବାକୁ ଏଭଳି ମିଥ୍ୟା ଜାଲ ବିଛାଇଥିବା ଚିନ୍ମୟୀ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ।

ସେହିପରି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଗଣମାଧ୍ୟମରେ ସମ୍ମାନ ହାନି ହେବା ଭଳି ଅନେକ କଥା କହିଥିବା ଚିନ୍ମୟୀ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଗଣମାଧ୍ୟମରେ ବିଦ୍ୟାଶ୍ରୀ ତାଙ୍କୁ ବ୍ଲାକମେଲର, ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିବା ଭଳି ମନଗଢ଼ା କହାଣୀ କହିଥିବା ଚିନ୍ମୟୀ ଏହି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ସେହିପରି ଏକ ରାଜ୍ୟସ୍ତରୀୟ ବୈଦ୍ୟୁତିକ ଗଣମାଧ୍ୟମ ଘଟଣାର ନିରପେକ୍ଷ ତଦନ୍ତ ନ କରି ତାଙ୍କୁ ସାଇକୋ ଲେଡି ଭାବେ ମଧ୍ୟ ଉପସ୍ଥାପନା କରିଥିଲା। ଏହାଦ୍ୱାରା ତାଙ୍କ ସମ୍ମାନର ହାନି ଘଟିଥିବା ଚିନ୍ମୟୀ ଅଭିଯୋଗପତ୍ରରେ ଉଲ୍ଲେଖ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ଚିନ୍ମୟୀଙ୍କ ଅଭିଯୋଗକ୍ରମେ ଖଇରା ଥାନାରେ କେସ୍‌ ନଂ. ୧୮୪/୨୦ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି। ଅପରପକ୍ଷରେ ଚିନ୍ମୟୀଙ୍କ ଅଭିଯୋଗକୁ ବିସ୍ମିତ୍‌ ଖଣ୍ଡନ କରିଛନ୍ତି। କୌଣସି ଗଣମାଧ୍ୟମରେ ଚିନ୍ମୟୀଙ୍କ ନାମ ନେଇ ସାଇକୋ ଲେଡି ବୋଲି ଉଚ୍ଚାରଣ କରି ନ ଥିବା ସେ ପ୍ରକାଶ କରିଛନ୍ତି।

Be the first to comment

Leave a Reply

Your email address will not be published.


*