ତୁଟିଲା ସମ୍ପର୍କ : ଏନଡିଏ ଛାଡ଼ିଲା ସହଯୋଗୀ ସିରୋମଣୀ ଅକାଳୀ ଦଳ…

ନୂଆଦିଲ୍ଲୀ,୨୭/୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଜେପି ନେତୃତ୍ୱାଧୀନ ମେଣ୍ଟରୁ ବିଦାୟ ନେଇଛି ପୁରୁଣା ସହଯୋଗୀ ସିରୋମଣୀ ଅକାଳୀ ଦଳ । ପୂର୍ବରୁ ଶିବସେନା ଏନଡିଏକୁ ମହାରାଷ୍ଟ୍ର ନିର୍ବାଚନ ପରେ ବାଏ ବାଏ କହିଥିଲା । ଏବେ କୃଷି ଆଇନକୁ ବିରୋଧ କରି ଅକାଳୀ ଦଳର ଏଭଳି ପଦକ୍ଷେପ ନେଇଛି । ଅକାଳୀ ଦଳର ଏହି ପଦକ୍ଷେପ ମୋଦି ସରକାରଙ୍କୁ ଝଟକା ଦେଇଛି ।

ସୂଚନା ମୁତାବକ, ମୋଦି ସରକାର ଆଣିଥିବା ନୂଆ କୃଷି ବିଲ୍‌କୁ ଦେଶର ବିଭିନ୍ନ ରାଜ୍ୟରେ ଚାଷୀମାନେ ବିରୋଧ କରୁଛନ୍ତି । ବିଶେଷ କରି ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରେ ଚାଷୀମାନେ ଏହାକୁ ଜୋରଦାର ବିରୋଧ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା କେନ୍ଦ୍ରମନ୍ତ୍ରୀ ହରସମିରତ କୌର ନିକଟରେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଦିନକୁ ଦିନ ବିଲକୁ ନେଇ ଅସନ୍ତୋଷ ବଢ଼ୁଥିବାରୁ ଅକାଳୀ ଦଳ ପକ୍ଷରୁ ବୈଠକ ବସିଥିଲା । ସୁଖବୀର ସିଂହ ବାଦଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ପରେ ଏନଡିଏକୁ ଅକାଳୀ ଦଳ ବାଏବାଏ କହିବାକୁ ଘୋଷଣା କରିଛି ।

ଦଳ ପକ୍ଷରୁ କୁହାଯାଇଛି, ଶିରୋମଣୀ ଅକାଳୀ ଦଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିକ ଏନଡିଏଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି । ନିକଟରେ କେନ୍ଦ୍ର ସରକାର କୃଷି ବିଲ ଆଣିଥିଲେ । ହେଲେ ଏହାକୁ ଚାଷୀମାନେ ବିରୋଧ କରୁଛନ୍ତି । ଚାଷୀମାନେ ସେମାନଙ୍କ ଶସ୍ୟର ଗୋଟିଏ ଏମଏସପି ଧାର୍ଯ୍ୟ କରିବାକୁ ଦାବି କରୁଥିବାବେଳେ କେନ୍ଦ୍ର ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଉନାହାନ୍ତି । ଚାଷୀ ଓ ଶିଖମାନଙ୍କ ପାଇଁ କେନ୍ଦ୍ର ସରକାର କିଛି ବି କରୁନାହାନ୍ତି । ଏହି କାରଣରୁ ଅକାଳି ଦଳ ଏନଡିଏ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ, ଅକାଳୀ ଦଳ ହେଉଛି ବିଜେପିର ସବୁଠୁ ପୁରୁଣା ସହଯୋଗୀ । ଉଭୟ ଦଳ ଏକାଠି ଅନେକ ଥର ପଞ୍ଜାବ ଓ କେନ୍ଦ୍ରରେ ମିଳିତ ଭାବେ ଶାସନ କରିଛନ୍ତି ।

Be the first to comment

Leave a Reply

Your email address will not be published.


*