ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇକୁ ରାଜ୍ୟରେ ନୋ ଏଣ୍ଟ୍ରି….

ମୁମ୍ବାଇ,୨୨/୧୦: ସିବିଆଇକୁ ନେଇ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ମହାରାଷ୍ଟ୍ର ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ ମାମଲର ଯାଞ୍ଚ କରିପାରିବ ନାହିଁ । ଏନେଇ ମହାରାଷ୍ଟ୍ର ସରକାର ଆଦେଶ ଜାରି କରିଛନ୍ତି । ଏବେଠୁ ରାଜ୍ୟରେ କୌଣସି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ପ୍ରଥମେ ମହାରାଷ୍ଟ୍ର ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଏହାପୂର୍ବରୁ ରାଜସ୍ଥାନ ଛତିଶଗଡ ଏବଂ ପଶ୍ଚିମବଙ୍ଗ ଭଳି ଅଣ-ବିଜେପି ଶାସିତ ରାଜ୍ୟମାନେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ କୁହାଯାଇଛି, ରାଜ୍ୟରେ ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରାଯାଉଛି । ହେଲେ ବର୍ତ୍ତମାନ ଯେଉଁ ସମସ୍ତ କେସ୍‌ରେ ତଦନ୍ତ ସିବିଆଇ କରୁଛି, ତା’ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭବିଷ୍ୟତରେ ସିବିଆଇ ମହାରାଷ୍ଟ୍ରରେ କୌଣସି ନୂତନ ମାମଲାର ଯାଞ୍ଚ କରିବାକୁ ଚାହିଁଲେ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ଏହା ପୂର୍ବରୁ ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଭଳି ଅଣବିଜେପି ଶାସିତ ରାଜ୍ୟ ପୂର୍ବରୁ ଏମିତି ନିର୍ଣ୍ଣୟ ନେଇସାରିଛନ୍ତି ।

ତେବେ ଏହି ଘଟଣାରେ ସିବିଆଇ ଅଧିକାରୀ କହିଛନ୍ତି ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ସୁଶାନ୍ତ ସିଂ ରାଜପୁତ କେସ୍‌ ପାଇଁ ପ୍ରଯୁଜ୍ୟ ହେବନାହିଁ । କାରଣ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଏହି ମାମଲାର ତଦନ୍ତ ସିବିଆଇ କରୁଛି । ଏହି ମାମଲାରେ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତିର କୌଣସି ଆବଶ୍ୟକତା ନାହିଁ। ୟୁପି ପୋଲିସ ଦ୍ଵାରା ଟିଆରପି ସ୍କାମ କେସ୍‌ର ଏଫଆଇଆର ରୁଜୁ ହେବାର ଗୋଟିଏ ଦିନ ପରେ ମହାରାଷ୍ଟ୍ର ସରକାର ଏମିତି ନିର୍ଣ୍ଣୟ ନେଇଛନ୍ତି । ୟୁପି ସରକାର ଏହି କେସ୍‌କୁ ସିବିଆଇକୁ ହସ୍ତାନ୍ତର କରିଛି ।

ମହାରାଷ୍ଟ୍ର ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି ଏବଂ କେନ୍ଦ୍ରର ସାହାଯ୍ୟର ଜରୁରୀ ଆବଶ୍ୟକତା ରହିଛି । ଏଭଳି ସମୟରେ ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟକଳାପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି କରିପାରେ । ସିବିଆଇର ରାଜ୍ୟରେ ପ୍ରବେଶ ସମ୍ପର୍କରେ ସରକାରଙ୍କ ତରଫରୁ କୌଣସି ବିବୃତ୍ତି ଆସିନାହିଁ । ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆଜି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିପାରିବେ ବୋଲି ବିଶ୍ୱାସ ରହିଛି ।

Be the first to comment

Leave a Reply

Your email address will not be published.


*