ଗାଈକୁ ଆଲିଙ୍ଗନ କଲେ ମିଳୁଛି ମାନସିକ ଶାନ୍ତି: ଏହି ଦେଶରେ ଚାଲିଛି ଟ୍ରେଣ୍ଡ !

ନୂଆଦିଲ୍ଲୀ,୨୪/୧୦: ଛେଳିଙ୍କ ମଧ୍ୟରେ ଯୋଗ କରିବା ଠାରୁ ଆରମ୍ଭ କରି ଘଣ୍ଟି ଶବ୍ଦରେ ଶୋଇବା ପର୍ଯ୍ୟନ୍ତ ନୂଆ ନୂଆ ଟ୍ରେଣ୍ଡ ସ୍ୱାସ୍ଥ୍ୟ ଜଗତରେ ଆସୁଛି। ଏହାର ଲକ୍ଷ୍ୟ ହେଉଛି ମାନସିକ ଶାନ୍ତି ହାସଲ କରିବା। ବର୍ତ୍ତମାନ ନେଦରଲ୍ୟାଣ୍ଡରେ ନିଜର ଯତ୍ନ ନେବା ପରମ୍ପରା ସ୍ୱାସ୍ଥ୍ୟ ଜଗତରେ ଟ୍ରେଣ୍ଡରେ ରହିଛି। ସ୍ଥାନୀୟ ଭାଷାରେ ଏହାକୁ ‘କାଓ ନଫଲେନ୍’ କୁହାଯାଏ ଯାହାର ଅର୍ଥ ଗାଈକୁ ଆଲିଙ୍ଗନ କରିବା।

ଏହି ପରମ୍ପରା ମାନସିକ ଶାନ୍ତି ଉପରେ ଆଧାରିତ ଯାହା ଗାଈକୁ ଆଲିଙ୍ଗନ କରି ବସିବା ଦ୍ୱାରା ମିଳିଥାଏ। ଗାଈକୁ ଆଲିଙ୍ଗନ କରାଯାଉଥିବା ଫାର୍ମରେ ପରିଦର୍ଶକ ଗୋଟିଏ ଗାଈକୁ ଆଲିଙ୍ଗନ କରି ଘଣ୍ଟା ଘଣ୍ଟା ଧରି ବସନ୍ତି।

ଗାଈର ପିଠି ଥାପୁଡ଼େଇବା ଏବଂ ତାକୁ ଆଲିଙ୍ଗନ କରିବା ହେଉଛି ଥେରାପିର ଏକ ଅଂଶ। ଯଦି ଗାଈ ବୁଲି ଚାଟିଥାଏ, ସେ ତୁମ ଏବଂ ତା ମଧ୍ୟରେ ବିଶ୍ୱାସ କେତେ ଗଭୀର ତାହା ଜଣାଇଥାଏ। ଗାଈ ଶରୀରର ଉଷ୍ମ ତାପମାନ, ଧିମା ହୃଦସ୍ପନ୍ଦନ ଏବଂ ବଡ଼ ଆକାର ଯୋଗୁଁ ସେମାନଙ୍କ ପାଖରେ ବସିଲେ ଶାନ୍ତି ଅନୁଭବ ହୋଇଥାଏ। ଏହା ଏକ ସୁଖଦ ଅନୁଭବ। କେବଳ ଏତିକି ନୁହେଁ ଏହା ଦ୍ୱାରା ଗାଈମାନେ ମଧ୍ୟ ସୁଖଦ ଅନୁଭବ କରନ୍ତି। ସେମାନଙ୍କ ପାଖରେ ବସି, ସେମାନଙ୍କୁ ଚାଟିବାକୁ ଦେବା ଏହି ଚିକିତ୍ସାର ଏକ ଅଂଶ।

ନେଦରଲ୍ୟାଣ୍ଡର ଏକ ଗାଈ ଫାର୍ମ ମାଲିକ କୁହନ୍ତି, ଗାଈ ସାଧାରଣତଃ ଶାନ୍ତିପୂର୍ଣ୍ଣ ହୋଇଥାନ୍ତି, ସେମାନେ ଅନାବଶ୍ୟକ ଭାବରେ ଯୁଦ୍ଧ କରନ୍ତି ନାହିଁ ଏବଂ କାହାକୁ ହଇରାଣ କରନ୍ତି ନାହିଁ। ସେ କହିଛନ୍ତି, ଆଲିଙ୍ଗନ ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ଗାଈମାନେ ଆହୁରି ଶାନ୍ତ ଅଟନ୍ତି। ଯେତେବେଳେ ଗୋଟିଏ ଗାଈ ବିରକ୍ତ ହୁଏ, ସେ ଉଠି ଚାଲିଯାଏ।

ବିଶ୍ୱାସ କରାଯାଏ ଗାଈକୁ ଆଲିଙ୍ଗନ କରିବା ଦ୍ୱାରା ମାନବ ଶରୀରରେ ଅକ୍ସିଟୋସିନ୍ ନିର୍ଗତ ହୋଇଥାଏ ଏବଂ ଶାନ୍ତି ଅନୁଭବ ହୁଏ। ସୁସାମାଜିକ ସମ୍ପର୍କ ଦ୍ୱାରା ଏହି ହରମୋନ ନିର୍ଗତ ହୋଇଥାଏ। ଅକ୍ସିଟୋସିନ୍ ସନ୍ତୋଷର ଭାବନା ଆଣିଥାଏ, ଚାପକୁ ହ୍ରାସ କରିଥାଏ ଏବଂ ସାଙ୍ଗମାନଙ୍କ ସହ ଶାନ୍ତିରେ ଅନୁଭବ ଆଣିଥାଏ।

ଏହା ବିଶ୍ୱାସ କରାଯାଏ ଗୃହପାଳିତ ପଶୁମାନଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଯେଉଁ ମାନସିକ ଶାନ୍ତିର ଅନୁଭବ ହୁଏ, ବଡ଼ ପଶୁ ସହ ଏହା ଅଧିକ ବଢିଯାଏ। ଆମେ କୋଳରେ ବିଲେଇକୁ ବସାଇ ଯେଉଁ ଶାନ୍ତି ଅନୁଭବ କରୁ, ଗାଈ ପରି ଏକ ବଡ ପଶୁ ସହ ରହିବା ଦ୍ୱାରା ଆମର ଅନୁଭବ ବଢିଯାଏ। ପଶୁମାନଙ୍କ ସହ ସମୟ ବିତାଇବାର ଏହି ସଂସ୍କୃତି ପ୍ରାୟ ଏକ ଦଶନ୍ଧି ପୂର୍ବରୁ ନେଦରଲ୍ୟାଣ୍ଡର ଗ୍ରାମାଞ୍ଚଳରେ ଆରମ୍ଭ ହୋଇଥିଲା।

୨୦୧୭ ମସିହାରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଯେତେବେଳେ ଗାଈମାନଙ୍କ ବେକ ଏବଂ ପିଠିର କିଛିଅଂଶକୁ ମାଲିସ୍ କରାଗଲା, ସେମାନେ ଶାନ୍ତ ହୋଇଥିଲେ, ବିସ୍ତାର ହୋଇ ଶୋଇପଡ଼ିଥିଲେ ଏବଂ କାନ ମଧ୍ୟ ତଳେ ପଡିଯାଇଥିଲା। ଏହି ଅନୁସନ୍ଧାନ ଆପ୍ଲାଏଡ୍ ଆନିମଲ ବିହେଭିୟର ସାଇନ୍ସ ପତ୍ରିକାରେ ପ୍ରକାଶିତ ହୋଇଥିଲା। ବର୍ତ୍ତମାନ ଏହା ମଧ୍ୟ ହୋଇପାରେ ଡାକ୍ତରମାନେ ଚାପର ଶିକାର ହୋଇଥିବା ଲୋକଙ୍କୁ ଗାଈ ସହ ସମୟ ବିତାଇବାକୁ କହିପାରନ୍ତି।

Be the first to comment

Leave a Reply

Your email address will not be published.


*