ତାଣ୍ଡବ ରଚିବ ପ୍ରକୃତି : ୨୪ ଯାଏ ଅତିପ୍ରବଳ ବର୍ଷା, ସତର୍କ ରୁହନ୍ତୁ ଏସବୁ ଜିଲ୍ଲାବାସୀ !

ଭୁବନେଶ୍ୱର,୨୧/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ସକାଳେ ‘ୱେଲ ମାର୍କଡ୍-ଲୋ’ ପ୍ରେସର’ରେ ପରିଣତ ହୋଇଛି । ଗୁରୁବାର ଏହା ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର-ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Google

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ଦେଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଧବାର ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରାଯାଇଛି ।

ଉକ୍ତ ସତର୍କ ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୨ ତାରିଖ ମଧ୍ୟାହ୍ନ ସୁଦ୍ଧା ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଦ୍ଵୟକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

Google

୨୨ ଓ ୨୩ ତାରିଖରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ଏସବୁ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ୨୩ ଓ ୨୪ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

Be the first to comment

Leave a Reply

Your email address will not be published.


*