ଡାକ୍ତର ଦେଲେ ଚେତାବନୀ : କରୋନା ସମୟରେ ଖାଆନ୍ତୁ ନାହିଁ ପିଜ୍ଜା, ବର୍ଗର !

ନୂଆଦିଲ୍ଲୀ,୭/୧୦: ଦିଲ୍ଲୀ- ଏନସିଆର ସମେତ ସାରା ଦେଶରେ ଏବେ କରୋନା ସଂକ୍ରମଣ ଜାରି ରହିଛି । ଏଭଳି ପରିସ୍ଥିତିରେ ଲୋକମାନେ ନିଜର ବିଶେଷ ଯତ୍ନ ନେବା ଆବଶ୍ୟକ । ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲୋକନାୟକ ହସ୍ପିଟାଲର ଡାକ୍ତର ବେଦିକା ବାଲି କହିଛନ୍ତି, ଏହି ସମୟରେ ଲୋକମାନେ ବାହାରର ପିଜ୍ଜା, ପାସ୍ତା, ବରଗର୍ ଏବଂ ନୁଡୁଲ୍ସ ଖାଇବା ଉଚିତ୍ ନୁହେଁ । ଗତ କିଛିଦିନ ଧରି ଦେଖାଯାଉଛି ଲୋକମାନେ ବେପରୁଆ ମନୋଭାବ ପୋଷଣ କରି ବଜାରର ଜଙ୍କ ଫୁଡ୍ ଖାଉଛନ୍ତି । ତେଣୁ ସେମାନେ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଜଙ୍କ୍ ଫୁଡ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରେ । ଯେଉଁ କାରଣରୁ ଲୋକମାନେ ସହଜରେ କୌଣସି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସେ କହିଛନ୍ତି ଯେ ବିଶେଷ କରି ଯୁବଗୋଷ୍ଠୀ ପିଜ୍ଜା, ପାସ୍ତା ଏବଂ ବରଗର୍ ବଦଳରେ ଅଧିକରୁ ଅଧିକ ସତେଜ ପନିପରିବା ଏବଂ ଫଳ ଖାଇବା ଉଚିତ୍ । ଏହା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ ।

ବେଦିକା ବାଲି କହିଛନ୍ତି, ଲୋକଙ୍କୁ ଖାଦ୍ୟପେୟ ସହ ସେମାନଙ୍କ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡିବ ଯାହା ସେମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବ। ଘରର ପିଲା ଏବଂ ବୃଦ୍ଧମାନେ ବାହାରକୁ ନଯିବା ଉଚିତ୍ । କେବଳ ଜରୁରୀ କାମ ହେଲେ ଘରୁ ବାହାରକୁ ଯାଆନ୍ତୁ । ଘରୁ ବାହାରକୁ ଯାଉଥିବା ଲୋକମାନେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଉଚିତ୍ । କୌଣସି ପରିସ୍ଥିତିରେ ମୁହଁରୁ ମାସ୍କ କାଢନ୍ତୁ ନାହିଁ । ସେହିପରି ଘରକୁ ଫେରିବା ପରେ ପ୍ରବେଶ ଦ୍ୱାରରେ ପୋଷାକ, ଜୋତା ବାହାରକରି ଭିତରକୁ ଯାଆନ୍ତୁ । ସେମାନେ ଏହି ପୋଷାକକୁ ଅନ୍ୟ ପୋଷାକ ସହ ଧୋଇବା ମଧ୍ୟ ଅନୁଚିତ ।

ବେଦିକା କହିଛନ୍ତି ଯେ ବାହାରୁ ଆସି ସାବୁନରେ ଗାଧୋଇବା ପରେ ହିଁ ପରିବାରର ଅନ୍ୟ ସଦସ୍ୟଙ୍କ ନିକଟକୁ ଯିବା ଉଚିତ୍ । ଏହା ସହିତ ବାହାରୁ ଆସୁଥିବା ବ୍ୟକ୍ତି ମନେରଖିବା ଉଚିତ୍ ଯେ ସେମାନେ ଘରର ଛୋଟ ପିଲା ଏବଂ ଗର୍ଭବତୀ ମହିଳାଙ୍କଠାରୁ ଦୂରରେ ରହିବେ । ଏହା ବ୍ୟତୀତ ଲୋକମାନେ କ୍ଷୀରରେ ହଳଦୀ ମିଶାଇ ପିଇବା ସହ ଭିଟାମିନ-ସି ଥିବା ଫଳ ଖାଇବା ଉଚିତ୍ ।

ଗତ କିଛିମାସ ମଧ୍ୟରେ ଦିଲ୍ଲୀର ଦୁଇଟି ପ୍ରମୁଖ କୋଭିଡ ଡାକ୍ତରଖାନା ଲୋକନାୟକ ଏବଂ ରାଜୀବ ଗାନ୍ଧୀ ହସ୍ପିଟାଲରେ ୪୮୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି । ସେଥିମଧ୍ୟରୁ ୬୦ ବର୍ଷରୁ ଅଧିକ ରୋଗୀଙ୍କ ସଂଖ୍ୟା ଅଧିକ । ଲୋକନାୟକ ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ ସୁରେଶ କୁମାର କହିଛନ୍ତି, ଗତ କିଛିମାସ ମଧ୍ୟରେ ୨୮୬ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି । ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଏହି ଥେରାପି ଦିଆଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ହସ୍ପିଟାଲରେ ଏକ ପ୍ଲାଜମା ବ୍ୟାଙ୍କ ମଧ୍ୟ ଅଛି । ଏଠାରୁ ସୁସ୍ଥ ହୋଇଯାଉଥିବା ରୋଗୀମାନଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରାଯାଉଛି । ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ସମସ୍ତ ଲୋକ ପ୍ଲାଜମା ଦାନ କରିବା ଉଚିତ୍। ଏହା ଦ୍ୱାରା ସେମାନେ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଜୀବନ ବଞ୍ଚାଇ ପାରିବେ ।

ଅନ୍ୟପଟେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ ଡକ୍ଟର ବିଏଲ୍ ଶେରୱାଲ କହିଛନ୍ତି, ଗତ କିଛିଦିନ ମଧ୍ୟରେ ୨୦୦ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି । ସେ କହିଛନ୍ତି ଯେ ବର୍ତ୍ତମାନ ୯୦ ରୋଗୀଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ଭେଣ୍ଟିଲେଟରରେ ଅଛନ୍ତି ।

Be the first to comment

Leave a Reply

Your email address will not be published.


*