ପ୍ରକାଶ ପାଇଲା ଏନ୍‌ସିଆରବି ରିପୋର୍ଟ: ଜାଣନ୍ତୁ କେତେ ଦକ୍ଷ ଦେଶର ପୋଲିସ !

ନୂଆଦିଲ୍ଲୀ, ଭୁବନେଶ୍ୱର, ୩/୧୦: ଚଳିତ ବର୍ଷ ଏନ୍‌ସିଆରବି ରିପୋର୍ଟରେ ଓଡ଼ିଶା ପୋଲିସର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଚୋରି ସମ୍ପତ୍ତି ଉଦ୍ଧାର କରିବାରେ ଫେଲ୍‌ ମାରିଛି ଓଡ଼ିଶା ପୋଲିସ । ୨୦୧୯ରେ ସାରା ରାଜ୍ୟରୁ ୧୨୯ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ହେଲେ ପୋଲିସ ମାତ୍ର ୪୦ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର କରିଛି । ଅର୍ଥାତ ଚୋରି ହୋଇଥିବା ସମ୍ପତ୍ତି ମାତ୍ର ୩୧.୨ ପ୍ରତିଶତ ଜବତ ହୋଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଦକ୍ଷ ଅଧିକାରୀ ଥାଇ ମଧ୍ୟ ଏହି କ୍ଷେତ୍ରରେ ଓଡ଼ିଶା ପୋଲିସ ବିଫଳ ହୋଇଛି ।

ସୂଚନା ଅନୁଯାୟୀ, ଓଡ଼ିଶାରେ ୨୦୧୯ ମସିହାରେ ୧୨୯ କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ସୁନା, ଗାଡି, ସାଇକେଲ୍‌, ଗୃହୋପରଣ ଓ ଅନ୍ୟ ଜିନିଷ ପତ୍ର ଚୋରି ହୋଇଥିଲା । ପୋଲିସ ମାମଲା ରୁଜୁ କରି ତାନାଘନା କରିବା ସହ ସବୁ ପ୍ରକାରର ଜ୍ଞାନକୌଶଳର ବ୍ୟବହାର କରିଥିଲା । ହେଲେ ସମ୍ପତ୍ତି ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଅନ୍ୟ ରାଜ୍ୟ ସହ ତୁଳନା କଲେ ସମ୍ପତ୍ତି ଉଦ୍ଧାର କରିବାରେ ଓଡ଼ିଶାର ସ୍ଥାନ ୧୮ ନମ୍ବରରେ ରହିଛି ।

– ଏ କ୍ଷେତ୍ରରେ ପଡ଼ୋଶୀ ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟଦକ୍ଷତା ଓଡ଼ିଶା ପୋଲିସ ଠାରୁ ବହୁ ଗୁଣ ଅଧିକ । ୨୦୧୯ରେ ପଶ୍ଚିମବଙ୍ଗରୁ ୭୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୨୫ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଅର୍ଥାତ ୩୪.୭ ପ୍ରତିଶତ ସମ୍ପତ୍ତି ଜବତ କରିଛି ପଶ୍ଚିମବଙ୍ଗ ପୋଲିସ ।

– ସେହିଭଳି ଆନ୍ଧ୍ରପ୍ରଦେଶରୁ ୨୦୧୯ରେ ୧୩୦ କୋଟି ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ପୋଲିସ ୬୨ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତିି ଉଦ୍ଧାର କରିଛି । ଅର୍ଥାତ ଆନ୍ଧ୍ରପ୍ରଦେଶ ପୋଲିସ ୪୭.୬% ମୂଲ୍ୟର ସମ୍ପତ୍ତି ଉଦ୍ଧାର କରିଛି ।

– ସେହିଭଳି ତାମିଲନାଡୁ ପୋଲିସକୁ ଅନେକ ସଫଳତା ମିଳିଛି । ୨୦୧୯ରେ ତାମିଲନାଡୁରୁ ୧୭୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା ବେଳେ ପୋଲିସ ୧୧୮ କୋଟି ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର କରିଛି । ଅର୍ଥାତ ୬୮.୭% ସମ୍ପତ୍ତି ଉଦ୍ଧାର କରିବାରେ ସକ୍ଷମ ହୋଇଛି ତାମିଲନାଡୁ ପୋଲିସ ।

– କିନ୍ତୁ ମହାରାଷ୍ଟ୍ରରେ ୯୭୭ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲେ ହେଁ ମାତ୍ର ୨୮୦ କୋଟି ୯୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର ହୋଇଛି ।

ତେବେ ଆମେ ସାରା ଦେଶର ସ୍ଥିତିକୁ ଦେଖିଲେ ପୂରା ପୋଲିସ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ତୁଟି ଯିବ । ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ୍‌ ୪୭୧୯.୨ କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ହେଲେ ମାତ୍ର ୧୪୫୧.୬ କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର ହୋଇଛି । ଅର୍ଥାତ ସାରା ଦେଶରୁ ମାତ୍ର ୩୦.୮% ମୂଲ୍ୟର ସମ୍ପତ୍ତି ଉଦ୍ଧାର ହୋଇଛି । ୨୦୧୮ରେ ୩୫.୧% ଓ ୨୦୧୭ରେ ୨୫.୯% ମୂଲ୍ୟର ସମ୍ପତ୍ତି ଉଦ୍ଧାର ହୋଇଥିଲା ।

ଅପରପକ୍ଷରେ କେବଳ ୨୦୧୯ ନୁହେଁ, ବିଗତ ବର୍ଷମାନଙ୍କରେ ମଧ୍ୟ ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଅତ୍ୟନ୍ତ ଖରାପ ରହିଛି । ୨୦୧୮ରେ ଓଡ଼ିଶାରୁ ୧୧୯ କୋଟି ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ପୋଲିସ ତଦନ୍ତ କରି ମାତ୍ର ୩୪ କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର କରିଛି । ୨୦୧୭ରେ ୧୩୩ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ବେଳେ ପୋଲିସ ମାତ୍ର ୨୯ କୋଟି ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର କରିଥିଲା । ଏସବୁ ଦେଖିବା ପରେ ଓଡ଼ିଶା ପୋଲିସର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠୁଛି । ଚୋରି ସମ୍ପତ୍ତି ଉଦ୍ଧାର କରି ଅଭିଯୋଗାକରୀଙ୍କୁ ଫେରାଇବାରେ ବିଫଳ ହୋଇଛି ଓଡ଼ିଶା ପୋଲିସ । ଓଡ଼ଶା ପୋଲିସ ନିକଟରେ ସମସ୍ତ ଜ୍ଞାନକୌଶଳ ଥାଇ ମଧ୍ୟ କୌଣସି କାମରେ ଆସୁନି । ଫଳରେ ବର୍ଷ ବର୍ଷ ଧରି ସମ୍ପତ୍ତି ଉଦ୍ଧାର କରିବାରେ ଓଡ଼ିଶା ପୋଲିସର ସ୍ଥିତି ନୈରାଶ୍ୟଜନକ ରହିଛି ।

Be the first to comment

Leave a Reply

Your email address will not be published.


*