ଲୁଡୁ ଖେଳରେ ଚାଲ୍‌ବାଜି କଲେ ବାପା : ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଝିଅ !

ଭୋପାଳ,୨୮/୯: ଲୁଡୁ ଖେଳରେ ବାପା ଚାଲ୍‌ବାଜି କରିଥିବା ଅଭିଯୋଗ କରି ଜଣେ ୨୪ ବର୍ଷୀୟା ଯୁବତୀ ଶନିବାର ଭୋପାଳ ପରିବାର ଅଦାଲତ (ଫ୍ୟାମିଲି କୋର୍ଟ)ରେ ହାଜର ହୋଇଛନ୍ତି । ଏହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଭୋପାଳରେ ଏଭଳି ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ତାଙ୍କର ଅନ୍ୟ ଦୁଇ ଭାଇଭଉଣୀ ଓ ବାପାଙ୍କ ସହ ଲୁଡୁ ଖେଳରେ ମାତିଥିଲେ । ଲୁଡୁ ଖେଳରେ ବାପାଙ୍କ ଠାରୁ ଥରକୁ ଥର ହାରିଯିବା ପରେ ‌ତରୁଣୀ ଜଣକ ପରିବାର ଅଦାଲତରେ ହାଜର ହୋଇଥିଲେ । ଅଦାଲତକୁ କାହିଁକି ଆସିଛ ବୋଲି ପଚରାଯିବାରୁ ସେ କହିଥିଲେ, ସେ ବାପାଙ୍କୁ ବିଶ୍ଵାସ କରନ୍ତି, ତେଣୁ ବାପା ଚାଲବାଜି କରିବେ ବୋଲି ଆଶା କରୁ ନ ଥିଲେ । ଖେଳରେ ହାରି ତରୁଣୀ ଜଣକ ବାପାଙ୍କ ପ୍ରତି ବୀତସ୍ପୃହ ହୋଇ ଉଠିଥିଲେ । ପରବର୍ତ୍ତୀ ଖେଳଗୁଡ଼ିକରେ ବାପାଙ୍କ ଠାରୁ ଆହୁରି ବାଜି ହାରିବାରୁ ତାଙ୍କର ଅସନ୍ତୋଷ ବଢ଼ିଥିଲା । ମାମଲାର ସମାଧାନ ନିମନ୍ତେ ସମ୍ପ୍ରତି ତାଙ୍କ ପରିବାରବର୍ଗଙ୍କୁ କାଉନ୍‌ସେଲିଂ ଦିଆଯାଉଥିବା ଜଣାପଡ଼ିଛି ।

ପରିବାର ଅଦାଲତ କାଉନ୍‌ସେଲର୍ ସରିତା ରଜନୀ କହନ୍ତି, ଜଣେ ୨୪ ବର୍ଷୀୟା ତରୁଣୀ ଆସି କହିଲେ, ସେ ତାଙ୍କର ଦୁଇ ଭାଇଭଉଣୀ ଓ ବାପାଙ୍କ ସଙ୍ଗରେ ଲୁଡୁ ଖେଳୁଥିବା ବେଳେ ବାପା ତାଙ୍କ ଗୋଟିଗୁଡ଼ିକୁ ମାରିଥିଲେ । ଏହା ବିଶ୍ଵାସଘାତକତା ବୋଲି ତାଙ୍କର ମନେ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି, ଆଜିକାଲି ପିଲାଏ ପରାଜୟ ସହ୍ୟ କରିବାକୁ ଅସମର୍ଥ ହେଉଥିବାରୁ ଏଭଳି ମାମଲା ଆସୁଛି । ସେମାନେ ପରାଜୟ ସ୍ଵୀକାର ଶିକ୍ଷା କରିବା ଆବଶ୍ୟକ । ବିଜୟ ଯେତିକି ଗୁରୁତ୍ଵପୂର୍ଣ୍ଣ ପରାଜୟ ମଧ୍ୟ ସେତିକି ଜରୁରୀ ।

ସୂଚନାଯୋଗ୍ୟ, ଅଦ୍ୟାବଧି ସେ ୨୪ ବର୍ଷୀୟ ତରୁଣୀଙ୍କୁ ଚାରି ଥର କାଉନ୍‌ସେଲିଂ ଦିଆଗଲାଣି । ଏବେ ତାଙ୍କର ମନୋଭାବ ସୁଧୁରୁଛି । ଏହାର ସକାରାତ୍ମକ ସମାଧାନ ହେବ ବୋଲି ଆଶା କରାଯାଉଛି ।

Be the first to comment

Leave a Reply

Your email address will not be published.


*