ଏଥର ସାଙ୍ଘାତିକ ହେବ ଶୀତ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧/୧୦: ଦେଶର ଅଧିକାଂଶ ଅଞ୍ଚଳରୁ ବିଦାୟ ନେଇସାରିଲାଣି ମୌସୁମୀ। ଏଥିସହ ଶୀତ ଋତୁ ଆଗମନକୁ ନେଇ ଅନୁଶୀଳନ ଆରମ୍ଭ ହୋଇଛି। ତଦନୁଯାୟୀ ଆଗାମୀ ଶୀତ ଋତୁ ଅନ୍ୟବର୍ଷ ତୁଳନାରେ ଦୀର୍ଘହେବ ବୋଲି ଜଣାପଡ଼ିଛି। ଏନେଇ ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଥିବାବେଳେ ଏଥର ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ମୌସୁମୀ ଫେରିବା ପରେ ପବନରେ ଆଦ୍ରତା କମିବା ସହ ଆକାଶ ମେଘମୁକ୍ତ ହୋଇଯାଏ। ଚଳିତବର୍ଷ ମଧ୍ୟ ଏମିତି ଆରମ୍ଭ ହୋଇଥିବାରୁ ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ରହୁଥିଲେ ବି ଆଉ ଗୁଳଗୁଳି ପ୍ରାୟତଃ ହେଉନାହିଁ। ରାତିରେ ତାପମାତ୍ରା ହ୍ରାସ ଶୀତ ଋତୁ ଆଗମନର ଲକ୍ଷଣ। ଏହି ଅନୁସାରେ ଆସନ୍ତା ଅକ୍ଟୋବର ୧୫ରୁ ଦିନର ତାପମାତ୍ରା ମଧ୍ୟ ହ୍ରାସ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ଫଳରେ ଦେଶରେ ଶୀତ ଋତୁ ଆଗମନ ହେବ। 

ସ୍କାଇମେଟ୍ ପାଣିପାଗ ସଂସ୍ଥା ସହ ଜଡ଼ିତ ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଏବେ ସମୁଦ୍ରରେ ‘ଲା ନିନା’ ସ୍ଥିତି ଉପୁଜିଛି। ଶୀତ ଋତୁ ଦୀର୍ଘ ହେବାର ଏହା ଏକ ଲକ୍ଷଣ ବୋଲି ପୂର୍ବାନୁମାନ କରିଛନ୍ତି। ହେଲେ ସମୁଦ୍ରରେ ‘ଏଲ ନିନୋ’ ସ୍ଥିତି ଥିଲେ ପାଣିପାଗ ଉପରେ ଏହାର ଓଲଟା ପ୍ରଭାବ ପଡିଥାନ୍ତା।

ସୂଚନା ମୁତାବକ, ଏବେ ଦେଶର ଉତ୍ତର ପାର୍ବତ୍ୟ ଅଞ୍ଚଳ ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ ଓ ଉତ୍ତର ମଧ୍ୟପ୍ରଦେଶରୁ ମୌସୁମୀ ଫେରି ସାରିଲାଣି। ଗତବର୍ଷ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ମୌସୁମୀ ଅକ୍ଟୋବର ୧୦ରେ ବିଦାୟ ନେଇଥିଲା। ସେହି ଅନୁସାରେ ଏବର୍ଷ ଆଗୁଆ ମୌସୁମୀ ଫେରିବା ଋତୁ ଦୀର୍ଘ ହେବାର ସୂଚନା ଦେଉଥିବା ପାଣିପାଗ ବିଜ୍ଞାନୀ ପ୍ରକାଶ କରିଛନ୍ତି।

ତେବେ ଆଗାମୀ ଶୀତ ଋତୁ ଚାଷବାସ ଲାଗି ଅନୁକୁଳ ହେବ ବୋଲି ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ହ୍ୱିଟ ଆଣ୍ଡ ବାର୍ଲି ରିସର୍ଚ୍ଚର ନିର୍ଦ୍ଦେଶକ ଡା. ଜେ.ପି. ସିଂହ କହିଛନ୍ତି। ସେ କହିଛନ୍ତି, ଶୀତଋତୁ ଶୀଘ୍ର ଆରମ୍ଭ ହେବା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଦେଶରେ ରବି ଚାଷ ପାଇଁ ଲାଭଜନକ ହେବ। ଚଳିତବର୍ଷ  ଗହମ ଚାଷ ସହଳ ହେବ। ଏହାବ୍ୟତୀତ ମାଟିର ଆଦ୍ରତା ଯୋଗୁ ଡାଲି ଓ ତୈଳବିଜ ଚାଷ ମଧ୍ୟ ଲାଭଜନକ ହେବ।  

Be the first to comment

Leave a Reply

Your email address will not be published.


*