ନିଶା ଭର୍ସେସ ନ୍ୟାୟ : ପୁଣି ମୁହାଁମୁହିଁ ହେବେ ଓକିଲ ଏ.ପି. ସିଂ ଓ ସୀମା କୁଶୱାହ, ଚାଲିବ ହାଥରସ ଯୁଦ୍ଧ…

ନୂଆଦିଲ୍ଲୀ,୧୩/୧୦: ଏ ସଂଯୋଗ ନା ସୌଭାଗ୍ୟ । ନା, ଏହା ଉଭୟଙ୍କ ପାଇଁ ପେସା । ବହୁଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ମାମଲା ଲଢ଼ିଥିବା ଦୁଇ ଆଇନଜୀବୀ ଏବେ ଉତ୍ତରପ୍ରଦେଶର ହାଥରସ ମାମଲାରେ ପୁଣି ପରସ୍ପର ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଦୁଇଟି ଭିନ୍ନ ମାମଲା, ଦୁଇଜଣ ଅଲଗା ଓକିଲ କିନ୍ତୁ ଲକ୍ଷ୍ୟ ଏକ ।

ସୂଚନା ଅନୁଯାୟୀ, ନିର୍ଭୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଲଢ଼ିଥିବା ଓକିଲ ସୀମା କୁଶୱାହ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଦାଲତରେ ପ୍ରତିନିଧିତ୍ୱ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସୀମା କହିଛନ୍ତି, ସେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ସହ ସମାଜସେବା ମଧ୍ୟ କରିଥାନ୍ତି । ହାଥରସ ଘଟଣା ସମ୍ପର୍କରେ ସେ ସେପ୍ଟେମ୍ବର ୨୬ରେ ଜାଣିବାକୁ ପାଇଥିଲେ । ସେବେଠୁ ସେ ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ରହିଛନ୍ତି । ସେପ୍ଟେମ୍ବର ୨୯ରେ ସୀମା ପୀଡ଼ିତାଙ୍କ ଘରକୁ ଯାଇଥିଲେ ହେଁ ସେତେବେଳକୁ ସବୁକିଛି ସରିଯାଇଥିଲା । ଆଖି ବୁଜି ଦେଇଥିଲେ ପୀଡ଼ିତା ।

ପରିବାରର ଇଚ୍ଛା ଅନୁସାରେ ହାଥରସ ମାମଲାର ଶୁଣାଣି ଦିଲ୍ଲୀରେ କରାଇବାକୁ ସୀମା ଅଦାଲତକୁ ଅନୁରୋଧ କରିବେ ବୋଲି କହିଛନ୍ତି । ତେବେ ଏହି ଘଟଣା ଏକ ସଂଯୋଗ କି ବୋଲି ପଚରାଯିବାରୁ ସୀମା କହିଥିଲେ, ନିର୍ଭୟା ମାମଲାର ସେହି ଆଇନଜୀବୀଙ୍କ ବିରୋଧରେ ସେ ଲଢ଼ିବାକୁ ଯାଉଛନ୍ତି, ଯିଏ କି ଦୋଷୀମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ । ସେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ମାମଲା ହାତକୁ ନେଉଛନ୍ତି । ମାତ୍ର ଏ.ପି. ସିଂ ଅଭିଯୁକ୍ତଙ୍କ ପକ୍ଷ ରଖୁଛନ୍ତି ।

ଅନ୍ୟପଟେ ନିର୍ଭୟାଙ୍କ ଦୋଷୀ ଓ ବାବା ରାମରହିମଙ୍କ ଭଳି ଅଭିଯୁକ୍ତଙ୍କ ଲାଗି କୋର୍ଟରେ ପକ୍ଷ ରଖିଥିବା ଏ.ପି. ସିଂ ଏବେ ବହୁଚର୍ଚ୍ଚିତ ହାଥରସ ମାମଲାରେ ପୀଡ଼ିତାଙ୍କ ପରିବାର ବିପକ୍ଷରେ ପ୍ରତିନିଧିତ୍ଵ କରିବାକୁ ଯାଉଛନ୍ତି । ୪ ଅଭିଯୁକ୍ତ ଠାକୁର ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ପାଇଁ ମାମଲା ପରିଚାଳନା କରିବା ଲାଗି ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା ଏ.ପି. ସିଂଙ୍କୁ ଅନୁରୋଧ କରିଛି ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ଏ.ପି. ସିଂ ଗଣମାଧ୍ୟମକୁ କହିଛନ୍ତି, ନିଜ ମହକିଲଙ୍କ ପାଇଁ ଲଢେଇ କରିବା ଏବଂ ନିରୀହମାନେ ଯେପରି ଦଣ୍ଡ ନ ପାଇବେ ତାହା ସୁନିଶ୍ଚିତ କରିବା ହେଉଛି ତାଙ୍କ କର୍ତ୍ତବ୍ୟ । ତେବେ ପବ୍ଲିସିଟି ପାଇଁ ବିବାଦୀୟ ମାମଲା ହାତକୁ ନେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କୋର୍ଟରେ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ କେହି ଅଭିଯୁକ୍ତ ଦୋଷୀ ନୁହଁନ୍ତି । ଠିକ୍ ଭୁଲର ନିଷ୍ପତ୍ତି ନେବା ପାଇଁ ମୁଁ କେହି ନୁହେଁ । ମୁଁ ମୋ କାମ କରିବି, ନିଷ୍ପତ୍ତି ଅଦାଲତ ନେବେ । ସୀମା କୁଶୱାହଙ୍କ ସମ୍ପର୍କରେ ସେ କହିଛନ୍ତି, “ସେ ମୋ ସାନ ଭଉଣୀ ଭଳି । ଆମେ କୋର୍ଟରେ ପୁଣିଥରେ ଦୁହେଁ ନିଜ ନିଜ ପକ୍ଷ ରଖିବାକୁ ଯାଉଛୁ, ଏହା ଭଲ କଥା ।”

Be the first to comment

Leave a Reply

Your email address will not be published.


*