ଏହି ରାଜ୍ୟରେ କରୋନା ପାଇଁ ବାତିଲ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା…

ଏହି ରାଜ୍ୟରେ କରୋନା ପାଇଁ ବାତିଲ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା…

ମୁମ୍ବାଇ ୧୩/୦୪: ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପରୀକ୍ଷା ସ୍ଥଗିତ ରଖିଛନ୍ତି ସରକାର । କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ପରୀକ୍ଷା ସମ୍ପର୍କରେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ପରିସ୍ଥିତିରେ କରୋନାର ସ୍ଥିତି ଭୟଙ୍କର ରହିଛି । ଯଦି ପରୀକ୍ଷା କରାଯାଏ, ତେବେ ସଂକ୍ରମଣ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବେ ଛାତ୍ରଛାତ୍ରୀ ।

ଗୋଟିଏ ପଟେ କରୋନାର ଚେନ୍‌କୁ ରୋକିବାକୁ ସରକାରୀ ସ୍ତରରେ ବି ଅନେକ ପଦକ୍ଷେପ ନିଆଯାଉଛି । ତେଣୁ ଏ ସମୟରେ ମହାମାରୀ ଯେପରି ଭାବରେ ଛାତ୍ରଛାତ୍ରୀଙ୍କୁ ନ ବ୍ୟାପେ ସେଥିଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଦେଶରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସେହି ହାରରେ ଅଧିକ ରହୁଛି । ତେଣୁ ସମସ୍ତ ଦିଗକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ଏଠାରେ ଆପଣଙ୍କୁ ଜଣାଇ ରଖୁଛୁ ଯେ, ଆଜି ମଧ୍ୟ ଦେଶରେ କରୋନାର ସ୍ଥିତି କମି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା ପ୍ରଥମ । ଏହା ପୂର୍ବରୁ ଏପ୍ରିଲ ୧ ତାରିଖ ୧ ଲକ୍ଷ ୫୨ ହଜାର ୫୬୫ ମାମଲା ସାମ୍ନାକୁ ଆସିଥିଲା । ସେହିପରି ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ରୋଗୀ ଆଖି ବୁଜିଛନ୍ତି । ଗତ ୬ ମାସ ମଧ୍ୟରେ ଆଜି ସର୍ବାଧିକ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟିଛି ।

ସୌଜନ୍ୟ : khabar.odishatv.in

Leave a Reply

Your email address will not be published. Required fields are marked *