କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଅନଲାଇନ ବ୍ୟବସ୍ଥା :  ଅର୍ଥମନ୍ତ୍ରୀ ଉଦଘାଟନ କଲେ ସ୍ୱତନ୍ତ୍ର ୱେବସାଇଟ…

କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଅନଲାଇନ ବ୍ୟବସ୍ଥା : ଅର୍ଥମନ୍ତ୍ରୀ ଉଦଘାଟନ କଲେ ସ୍ୱତନ୍ତ୍ର ୱେବସାଇଟ…

କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଏବେ ଅନଲାଇନରେ ସ୍ଵତନ୍ତ୍ର ବ୍ୟବସ୍ଥା । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ଭର୍ଚ୍ଚୁଆଲ ମୋଡରେ ଏକ ସ୍ୱତନ୍ତ୍ର ୱେବସାଇଟର ଉଦଘାଟନ କରିଛନ୍ତି । www.opid.odisha.gov.in ନାଁରେ ଏହି ୱେବସାଇଟର ଆରମ୍ଭ କରାଯାଇଛି । ବିଭିନ୍ନ ଆର୍ଥିକ ସଂସ୍ଥାଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଜମାରାଶିର ପରିମାଣ ଜାଣିବା ପାଇଁ ଏହି ସେବା ଆରମ୍ଭ ହୋଇଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇ-ଟେକ୍‌ ଇଷ୍ଟେଟ୍‌ସ୍‌ ଓ ପ୍ରମୋଟର୍ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ମେସର୍ସ୍‌ ରାଜଧାନୀ ସିଷ୍ଟମ୍‌ ଓ ଇଷ୍ଟେଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିର କ୍ଷତିଗ୍ରସ୍ତ ଜମାକାରୀ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଆବେଦନ କରିପାରିବେ । ଏହି ଦୁଇଟି ସଂସ୍ଥା ଦ୍ଵାର କ୍ଷତିଗ୍ରସ୍ତ ଜମାକାରୀ ଚଳିତ ମାସ ୪ ତାରିଖରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି ।

ଅର୍ଥ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେସର୍ସ ରୋଜ୍‌ଭ୍ୟାଲି ଗ୍ରୁପ ଅଫ୍‌ କମ୍ପାନି ସମୂହର କ୍ଷତିଗ୍ରସ୍ତ ଜମାକାରୀ ମାନଙ୍କଠାରୁ ଅଫ୍‌ଲାଇନ୍‌ରେ ଦରଖାସ୍ତ ଆହ୍ବାନ କରାଯାଇଥିଲା । ସେସବୁ ଆବେଦନ ପତ୍ର ଗ୍ରହଣ, ଡିଜିଟାଇଜେସନ୍‌, ଡିଜିଟାଇଜ୍‌ଡ୍‌ ତଥ୍ୟ ଅନୁସାରେ କ୍ଷେତ୍ରୀୟ ତଦନ୍ତ ରିପୋର୍ଟର ଡିଜିଟାଇଜେସନ୍‌ ଆଦି କାର୍ଯ୍ୟ ସମୟ ସାପେକ୍ଷ ଓ ବ୍ୟୟବହୁଳ ଥିଲା । ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ଏକ ସହଜ ଓ ସରଳ ଓ୍ବେବ୍‌ସାଇଟ୍‌ ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ସେଣ୍ଟର୍‌ (ଓକାକ୍‌) ବିକଶିତ କରିଛନ୍ତି ।

ଏବେ କ୍ଷତିଗ୍ରସ୍ତ ଜମାକାରୀମାନେ ଆଉ ତହସିଲ ଅଫିସ ଯାଇ ଦରଖାସ୍ତ ଦେବାକୁ ପଡ଼ିବ ନାହିଁ । ନିଜ ଘରୁ କିମ୍ବା ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନ୍‌ଲାଇନ୍‌ରେ ଦରଖାସ୍ତ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରର ଠିକଣା ରାଜ୍ୟ ସରକାରଙ୍କ ଓ୍ବେବ୍‌ସାଇଟ୍‌ www.odisha.gov.inରେ ଉପଲବ୍ଧ ରହିଛି । ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଦରଖାସ୍ତଗୁଡ଼ିକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରକ୍ରିୟାକରଣ କରାଯାଇପାରିବ । ଏତଦ୍‌ବ୍ୟତୀତ କ୍ଷେତ୍ରୀୟ ତଦନ୍ତ ଟିମ୍‌ମାନେ କ୍ଷେତ୍ରୀୟ ସ୍ତରରେ ତଦନ୍ତ କରି ପ୍ରକୃତ ଜମାକାରୀ ଚିହ୍ନଟ କରିପାରିବେ । ଅନ୍‌ଲାଇନ୍‌ ଆବେଦନ ବେଳେ ଯଦି କେହି ବ୍ୟକ୍ତି ବୈଷୟିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତା’ହେଲେ ତାର ସମାଧାନ ପାଇଁ ଟୋଲ୍‌ ଫ୍ରି ନମ୍ବରର ବ୍ୟବସ୍ଥା କରାଯାଇଛି । ସରକାରଙ୍କ ୫-ଟି ଏଜେଣ୍ଡାର ଆଭିମୁଖ୍ୟ ଅନୁଯାୟୀ, ଏହି ୱେବ୍‌ସାଇଟ୍‌ ପ୍ରଚଳନ ଦ୍ଵାରା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ନିରୂପଣ ଅତ୍ୟନ୍ତ ସ୍ବଚ୍ଛତାର ସହିତ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ କରାଯାଇପାରିବ ।

ପ୍ରଥମ ଦଫାରେ ରାଜ୍ୟ ସରକାର ହାଇଟେକ୍‌ ଇଷ୍ଟେଟ୍‌ ପ୍ରମୋଟର୍ସ୍‌ ଓ ରାଜଧାନୀ ସିଷ୍ଟମ୍‌ ଓ ଇଷ୍ଟେଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ୍‌-୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍‌ ଯୋଜନାରେ ବାସପୋଯୋଗୀ ଜମି (ପ୍ଲଟ୍‌) ପାଇଁ ଟଙ୍କା ଜମା ଦେଇ କୌଣସି ଜମି ପାଇ ନଥିବା କିମ୍ବା ଜମାରାଶି ଫେରସ୍ତ ପାଇ ନଥିବା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୂପଣ ପାଇଁ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ବ୍ୟବସ୍ଥା କରାଯାଇଛି । ଏ ନେଇ ଗତମାସ ୨୭ ତାରିଖରେ ସବିଶେଷ ତଥ୍ୟ ସମ୍ବଳିତ ବିଜ୍ଞାପନ ଅତିରିକ୍ତ ଜିଲ୍ଲାପାଳ କଟକଙ୍କ ଦ୍ଵାର ସମ୍ବାଦ ସମେତ ଅନେକ ଦୈନିକ ଖବରକାଗଜରେ ପ୍ରକାଶିତ ହୋଇଥିବା ସରକାର ଜଣାଇଛନ୍ତି ।

ସୌଜନ୍ୟ : kanaknews.com

Leave a Reply

Your email address will not be published. Required fields are marked *